କିଏ ଏମାନେ?
ସୁଧାଂଶୁ ମୋହନn ରାଉତ ହୁଗୁଳି କଲିକତା
ଇଏ ସେ ସେମାନେ ଯୋଉମାନେ ସହର ତିଆରି କରନ୍ତି ।ସହରବାସୀ ଙ୍କୁ ଭଳି ଭଳି କି ଖୁସି ଦେବା ପାଇଁ ନିଜ ପେଟ ଚାଖାଣ୍ଡ କ ପୁରେଇବା ପାଇଁ ନିଜ ଭିଟାମାଟି ରାଇଜ ଛାଡି ପ୍ରବାସ କୁ ଆସନ୍ତି ।ରାଜ୍ୟ ଉଆସ ତିଆରି କରନ୍ତି ହେଲେ କୋଉ ଏକ ବସ୍ତି ରେ ଦୟନୀୟ ଜୀବନ ରେ ସନ୍ତୁଳି ହୁଅନ୍ତି ।
ବୟସ ୧୫ ରୁ ପଚାଶ ଭିତରେ ହେବ l ଶ୍ୟାମଳ କଳା ଶରୀର l ମୁହଁରେ ଦାଢ଼ି, ବ୍ରଣ l ଗୁଟଖା ପାନ ଖାଇ ଦାନ୍ତ ପ୍ରାୟତଃ କଳା l
ଏମାନେ ଡ୍ରେନ ଭିତରେ ପଶି ଡାଇପର ନାପକିନ ଯୋଗୁଁ ଜାମ ହୋଇଥିବା ନର୍ଦ୍ଧମା ସଫାକରନ୍ତି, କେହି କେହି ସେଇ ଡ୍ରେନଭିତରେ ଅଣନିଶ୍ୱାସୀ ହୋଇ ମରିଯାନ୍ତି l ଏମାନେ ଡ୍ରାଇଭିଂ କରନ୍ତି, ୫-୬ ଟଙ୍କାରେ ଚା ବିକନ୍ତି, ଦଶ ମହଲା ଉପରେ ରଶିରେ ଲଟକି ଆଉ କାହାର ଘର ତିଆରି କରନ୍ତି l କେତେବେଳେ ଆଖୁରସ ତ କେତେବେଳେ ମିଠା ମକା ଖୁଆନ୍ତି l ସକାଳୁ ବାବୁଙ୍କ କାର ଯିବାପାଇଁ ରାସ୍ତା ଝାଡୁ କରନ୍ତି ତ ଆଉ କାହାର ଶୟନ କକ୍ଷରେ ଗୋଲାପୀ ରଙ୍ଗ ମାରନ୍ତି l ଟ୍ରେନରେ ସିମେଣ୍ଟ ଲୋଡ଼ିଂ କରନ୍ତି ତ ଟ୍ରକରେ ଆଳୁ, ଟ୍ରାକ୍ଟର ରେ ବାଲି କି ଲୁହା l ପରିବା ଶସ୍ତା ରେ ବିକିବା ପାଇଁ ସାଇକେଲ ଠେଲନ୍ତି କି ମୋପେଡ ଚଢ଼ନ୍ତି l ବାହାଘର ଅଇଁଠା ପତ୍ର ଉଠାନ୍ତି ତ କାହାର ବାଳ ଧଳାରୁ କଳା କରନ୍ତି, ଜୋତା ସଫାକରନ୍ତି, ଠେଲା ଲଗେଇ ଶସ୍ତାରେ ଖାଇବା ଦିଅନ୍ତି l ଏମାନଙ୍କ ଭିତରୁ କିଏ ମରିଗଲେ କେହି କେହି ଗାଁ ମଶାଣିଯାଏଁ ବି ଫେରି ପାରନ୍ତିନି l ସହରରେ AC ରୁ ଯେତିକି ପାଣି ଟୋପା ଟୋପା ହୋଇ ପଡୁଛି ତା ଠୁ ଅଧିକା ଝାଳ ନିଗୁଡିଛି ଏମାନଙ୍କ ଦେହରୁ l ଲୁଙ୍ଗି ପ୍ୟାଣ୍ଟ ସାର୍ଟ ଝାଳରେ ଗନ୍ଧାଏ l ଗାଁ କୁ ବିଷାକ୍ତ କରିଦେଉଥିବା ସହରିଆଙ୍କ ସହର ଚକମକ କରନ୍ତି ଏମାନେ l ଏମାନେ ମାସକୁ ୫ କିଲୋ ଚାଉଳ ଓ ସ୍ତ୍ରୀ ମାନେ ମାସକୁ ପାଁ ଶ କି ହଜାରେ ଟଙ୍କା ପାଆନ୍ତି ବୋଲି ସହରିଆ ଏମାନଙ୍କୁ ମାଗଣା ଖିଆ କହନ୍ତି l
ଚର୍ବି ଲାଗିଯାଉଥିବା ବାବୁ ବାବୁଆଣୀଙ୍କ ପୁଅ ଜିମରେ ଯାଇ ଗଡୁ ନଥିବା ସାଇକେଲ ଚଲାଏ କି ଝିଅ ମିଛରେ treadmill ରେ ଦୌଡୁ ଥିବାବେଳେ ଏମାନେ ୯୦ ଜଣ ବସିବା ପାଇଁ ଜାଗାଥିବା ଜେନେରାଲ ବଗିରେ ୩୦୦ ଜଣ ବସିବା ପାଇଁ ଲାଇନ ଲଗାନ୍ତି ଆଉ ଦୌଡନ୍ତି।