ଭଏସ ଅଫ କମନ୍ସ

ଏ ଯୁଦ୍ଧ କରିବା ଚାଲ

ଯୁଦ୍ଧ-ମୃତ୍ୟୁ-ଯୁଦ୍ଧ ବିରତି ବାହାରେ ବି ଭିନ୍ନ ଯୁଦ୍ଧ କରି ଦେଶ ପାଇଁ କାମ କରିବାର ଅବସର ସବୁବେଳେ ଅଛି।

ତେଣୁ ଯୁଦ୍ଧ କରିବା ଚାଲ।

ସୁଧାଂଶୁ ମୋହନ ରାଉତ୍ ମୁଖ୍ୟ ସଞ୍ଚାଳନ ପ୍ରବନ୍ଧକ

ଆଇ ଡି ବି ଆଇ କଲିକତା

ଗୋଟେ ଭଲ ସମାଜ ଆଉ ଦେଶ ତିଆରି କରିବାକୁ ଆମକୁ ଅନବରତ ଅହରହ ଲଢ଼ିବାକୁ ପଡ଼ିବ। ଯୁଦ୍ଧ୍ୟ ବିରତି କି ସିଜ୍ ଫାୟର ର ନଥିବ ଆବଶ୍ୟକତା। ମନୋବଳ ର ମିଶାଇଲ ଖଞ୍ଜିବଜୁ ପଡ଼ିବ।

ଆସ ଗାଁ ସମାଜ ଆଉ ଦେଶ କୁ ଗଢ଼ିବାକୁ ଆମେ ସମସ୍ତେ ଭୟ ଭୋକ ଭ୍ରଷ୍ଟାଚାର କୁ ସଂସ୍କାର ପରିବେଶ ପ୍ରଦ୍ୟୁଷଣ ନିଶା ବିରୁଦ୍ଧରେ ମିଳି ମିଶି ଲଢ଼ିବା । ଏ ଲଢେଇ ପାଇଁ ସେନା ସାମନ୍ତ ଗୁଳି ଗୋଲା କି ରକ୍ତପାତ ନୁହେଁ ବରଂ ଆମ ନିଜ ଭିତରେ ଥିବା ଶକ୍ତି ଆତ୍ମବିଶ୍ବାସ ମନୋବଳ ର ଅସ୍ତ୍ର କୁ ନେଇ ଲଢେଇ କରିବା ।

ଏ ଦେଶରୁ ଚାରିଶହ ବର୍ଷ ସମ୍ପଦ ଲୁଟ ପରେ ଯେତେବେଳେ ସ୍ୱାଧୀନତା ହାସଲ କଲୁ ସେତେବେଳେ ଆମେ ସମସ୍ତଙ୍କୁ ପେଟପୁରା ଖାଇବାକୁ ଦେବାକୁ ଅସମର୍ଥ ଥିଲୁ, ସାଇକେଲ ଟିଏ ବି ତିଆରି କରିପାରୁନଥିଲୁ। ଏ ଦେଶ ସହ ସିନା ଦି’ଟା ଦେଶ ପ୍ରତ୍ୟକ୍ଷ ଯୁଦ୍ଧ ଲଢ଼ିଲେ କିନ୍ତୁ ପରୋକ୍ଷ ଭାବେ ଲଢୁଛନ୍ତି କେତେ ଦେଶ କେତେ ଭିନ୍ନ ଭିନ୍ନ ଉପାୟରେ ସବୁବେଳେ। କିଏ ତା ଦେଶରୁ ଆସୁଥିବା ଖଣିଜ ତୈଳକୁ ଢାଲ କରି ଆମ ସହ ମୂଲଚାଲ କରୁଛି ତ ଆଉକିଏ ତା’ର ଯୁଦ୍ଧ ଜାହାଜ ବା ପ୍ରଯ୍ୟୁକ୍ତି ବିଦ୍ୟାକୁ ନେଇ। କିଏ ଖାଇବା ତେଲ ତ କିଏ ମଟର, ଡାଲି, କମ୍ପୁଟର, ଖେଳନା, କୋଇଲା ଇତ୍ୟାଦି। ଗୋଟେ ଦେଶ ତା ‘ର ଆଲମଣ୍ଡ ବିକିବା ପାଇଁ କମିଶନ ନିଯୁକ୍ତି କଲା ଏ ଦେଶରେ, ଭରପୁର ଵିଜ୍ଞାପନ ଦେଖେଇଲା।ଆମ ଦେଶର ମଧ୍ୟବିତ୍ତ ବି ଗ୍ରହଣ କରିନେଲେ ଯେ ଆଲମଣ୍ଡ ଖାଇଲେ ବାଳ ନଳିତା ଗଛ ଭଳି ହୁ ହୁ ବଢ଼ିଯିବ, ଘରେ ଘରେ ଆଇନ ଷ୍ଟାଇନ ବାହାରିବେ। ଆଲମଣ୍ଡ ଖୁବ ବିକ୍ରୀହେଲା, ଆଲମଣ୍ଡ ଅଖାକୁ ଡ୍ରଗ୍ସ ରେ ଭିଜେଇ ଆମଦେଶରେ ଅନ୍ୟ ଦେଶ ଆଲମଣ୍ଡ ଓ ଡ୍ରଗ୍ସ ବି ବିକିଲେ। କିଏ ପ୍ଲାଷ୍ଟିକ ଫୁଲ ବିକି ଟଙ୍କା ନେଇଯାଉଛି ତ କିଏ ଦାନ୍ତ ଖୁଣ୍ଟିବା କାଠି। ଅନ୍ୟ ଦେଶ ଉପରେ ଭିନ୍ନ ଭିନ୍ନ ସାମଗ୍ରୀ ଓ ଜ୍ଞାନକୌଶଳ ପାଇଁ ନିର୍ଭର କରୁଥିବାରୁ ଆମେ ଅନେକ ସମୟରେ ନିରୁପାୟ ହୋଇଯାଉଛୁ। ତେଣୁ ଲଢ଼ିବା ଚାଲ।

ଆସନ୍ତୁ ଲଢ଼ିବା ସେ ନିରକ୍ଷରତା ବିରୁଦ୍ଧରେ। ଏବେବି ଭାରତରେ ୨୫ କୋଟିରୁ ଉର୍ଦ୍ଧ ନିରକ୍ଷର ଅଛନ୍ତି। ଅନ୍ତତଃ ଜଣେକୁ ପଢା ଶିଖେଇବା, ଆଉ କାହାର ସ୍କୁଲରୁ ପାଠପଢା ଛାଡ଼କୁ ବନ୍ଦ କରିବା ଚାଲ।

ଚାଲ ଲଢ଼ିବା ପାଣି ପାଇଁ। ଆମ ଛାତ ଉପର ବର୍ଷା ପାଣିକୁ ଅଳ୍ପ ଖର୍ଚ୍ଚରେ ମାଟି ତଳକୁ ଛାଡିବାର ବ୍ୟବସ୍ଥା କରିବା। ଆମ ଦେଶର ଭୁତଳ ଜଳ କମି କମି ଆସୁଛି।ଆମେରିକାର ପାଣି କମ୍ପାନୀ ଆମଦେଶରେ ପାଣି ବିକି ତାଙ୍କ ଦେଶକୁ ବୋହିନେଉଛି ବିପୁଳ ଟଙ୍କା।

ଆସ ଲଢ଼ିବା ପରିବେଶ ପାଇଁ। ବାଲକୋନୀ ରେ ଫୁଲକୁଣ୍ଡ ରଖି ଠକ ପରିବେଶ ପ୍ରେମୀ ହେବା ଅପେକ୍ଷା ଘରର ହାତ ଗୋଡ଼ ମୁହଁ ଧୁଆ ପାଣିକୁ ଗୋଟିଏ ଗଛ ମୂଳ ଯାଏଁ ପହଞ୍ଚେଇବା ବ୍ୟବସ୍ଥା କରିଦେବା। ଆମ ନଈ ସବୁ ଆମର ଘର ମଇଳା ପାଣି ପାଇଁ ନର୍ଦ୍ଧମା ହୋଇଗଲାଣି। ଜଣା ପଡୁନଥିବା ପାଇଖାନା ସଫା ପାଇଁ ଉଦିଷ୍ଟ ରାସାୟନିକ ଟନ ଟନ ଆମରି ନଈରେ ମିଶୁଛି। ତାକୁ ବନ୍ଦ କରିବା ଚାଲ।

ଆସ ଲଢ଼ିବା ଅନ୍ଧତ୍ୱ ବିରୁଦ୍ଧରେ ଚକ୍ଷୁ ଦାନ କରି, ରକ୍ତହୀନତା ବିରୁଦ୍ଧରେ ରକ୍ତଦାନ କରି, କେବେ ଦରକାର ହେଲେ ଅଙ୍ଗଦାନ କରି। ଏକ ଲକ୍ଷ ଜନ୍ମରେ ଯେଉଁ ୯୦ ଜଣ ମାଆ ମୃତ୍ୟୁ ବରଣ କରୁଛନ୍ତି ତାକୁ ବନ୍ଦ କରିବା ଚାଲ।

ଆସ ଲଢ଼ିବା ନିଶା ବିରୁଦ୍ଧରେ ନିଜ ପରିବାର କୁ ପୂର୍ଣ୍ଣ ନିଶାମୁକ୍ତ କରି ପାରିଲେ ଜଣେ ସାଙ୍ଗକୁ ମଧ୍ୟ।

ସେ ଦୁର୍ନୀତ୍ତିର ରାକ୍ଷସ ଆମରି ଭିତରେ ଅଛି। ତାକୁ ମରିବା ଚାଲ ତା ବିରୁଦ୍ଧରେ ଯୁଦ୍ଧ କରି।

ଆସ ଲଢ଼ିବା ଖାଦ୍ୟ ପାଇଁ। ସ୍ୱାଧୀନତା ବେଳେ ଖାଇବାକୁ ପାଉନଥିବା ଦେଶ ଏବେ ଶସ୍ୟ ରପ୍ତାନି କଲେବି ଏବେ ମଧ୍ୟ ଡାଲି, ତେଲ, ମଟର, ବୁଟ ଇତ୍ୟାଦି ଆମଦାନୀ କରୁଛି। ବଦଳେଇଦେବା ଚାଷ ପଦ୍ଧତ୍ତି ଓ ଆମ ଖାଦ୍ୟ ରୁଚିକୁ।ମକାରୁ ଇଥନାଲ ପ୍ରସ୍ତୁତ ପରଠାରୁ ମକାରେ ଆମେ ବଳକା ରାଷ୍ଟ୍ରରୁ ନିଅଣ୍ଟିଆ ରାଷ୍ଟ୍ର ହୋଇଗଲୁ।ବିଦେଶୀ ଖାଦ୍ୟ ପଦାର୍ଥର ସମାନ ଦେଶୀୟ ବିକଳ୍ପ ବାଛିନେବା। ଅନ୍ତତଃ ପକ୍ଷେ କିଛି ବି ଗୋଟେ ଚାଷ କରିବା ଚାଲ। ସହରରେ ମଧ୍ୟ ସମ୍ଭବ।

ଆସ ଲଢ଼ିବା ଏ ଜାତିବାଦ ବିରୁଦ୍ଧରେ। ନିଜ ପୁଅ ଝିଅ ଚାହୁଁ ଥିବା ପିଲାକୁ ବାହାହେଉ, ସେଥିରେ ଜାତିବାଦ ବାଧକ ନହେଉ।କେଉଁ ଜାତିର ପିଲା ଠାକୁରଙ୍କୁ ଛୁଇଁ ଦେବାରୁ ତାକୁ ହତ୍ୟା କରିବାର ଘଟଣା ନ ଘଟୁ ଏ ଦେଶରେ।

ଆସ ଲଢ଼ିବା ହଜାର ହଜାର କିଲୋମିଟର ଦୂରରେ ଥିବା ଆରବପତିର ଚକ୍ରାନ୍ତ ବିରୁଦ୍ଧରେ ଆମ ଘରପାଖ ବ୍ୟବସାୟିଙ୍କ ସାମଗ୍ରୀ କିଣି। ସକ୍ଷମ କରେଇବା ଆମକୁ, ଆମ ଶିଳ୍ପକୁ।

ସେ ପଲିଥିନ ଓ ପ୍ଲାଷ୍ଟିକ ବିରୁଦ୍ଧରେ ଲଢ଼ିବା ଚାଲ। ଆମ ଗଡିଆ, ପୋଖରୀ, ନଈ ନାଳ, ମାଟି ପଲିଥିନ ପ୍ଲାଷ୍ଟିକ ଯୋଗୁଁ ପୋତି ହୋଇଗଲାଣି। ମାତ୍ର ପଚିଶି ବର୍ଷରେ ମୁଣ୍ଡପିଛା ବାର୍ଷିକ ଏକ କିଗ୍ରାରୁ ୧୪କିଗ୍ରାରେ ପହଞ୍ଚିଲାଣି ପ୍ଲାଷ୍ଟିକ ବ୍ୟବହାର। ଯେତେ ସମ୍ଭବ କମ ବ୍ୟବହାର କରିବା ଚାଲ। ଘରୁ ବ୍ୟାଗଟିଏ ନେଇ ବଜାର ଯାଇ ନୀରବରେ ପ୍ଲାଷ୍ଟିକ ବିରୁଦ୍ଧରେ ଲଢ଼ିବା ଚାଲ।

ଆସନ୍ତୁ ଲଢ଼ିବା ସେ ଭୋକ ବିରୁଦ୍ଧରେ ଏକ କ୍ଷୁଧା ମୁକ୍ତ ଭାରତ ଗଢି। ଲଢ଼ିବାର ବି ଅଛି ଦୁର୍ଘଟଣା ବିରୁଦ୍ଧରେ। ଲକ୍ଷାଧିକ ଭାରତୀୟ ମୃତ୍ୟୁ ବରଣ କରୁଛନ୍ତି କେବଳ ଦୁର୍ଘଟଣାରେ। ସମାଧାନ ବାଟ ବାହାର କରିବା ଚାଲ।

ଲଢ଼ିବା ପାଇଁ ସୈନ୍ୟ ସୀମାରେ ଓ ଆମେ ଘରେ ଅଛୁ। କେବଳ ସୈନ୍ୟ ନ ଲଢ଼ି ଆମେବି ଲଢ଼ିବା ଚାଲ- ଆମ ପାଇଁ ଓ ଦେଶ ପାଇଁ। ପ୍ରସ୍ତୁତ ହୁଅ।

ଯୁଦ୍ଧାୟ କୃତନିଶ୍ଚୟଃ

ବନ୍ଧୁଘର, ଲଙ୍କାପଡା, ଜଗତସିଂହପୁର

Leave A Reply

Your email address will not be published.