** ତାଳଦଣ୍ଡା କେନାଲ :
ଜନ୍ମ, ଯୌବନ ଓ ଆସନ୍ନ ମୃତ୍ୟୁ ର ଆଶଙ୍କା
ସୁଧାଂଶୁ ମୋହନ ରାଉତ୍
**
ଦେଢ଼ ଶହ ବର୍ଷ ତଳେ ନ ଅଙ୍କ ଦୂର୍ଭିକ୍ଷ ଯୋଗୁଁ ଓଡ଼ିଶାର ତିନି ଭାଗରୁ ଭାଗେ ଅର୍ଥାତ ଦଶ ଲକ୍ଷ ଲୋକ ଭୋକରେ ମରିଗଲେ l ହାତପାତି ଛତର ନଖାଇ ମୃତ୍ୟୁକୁ ଆଦରି ନେଲେ କେତେ ଓଡ଼ିଆ l ଇଂରେଜମାନେ ତାଙ୍କ ଦୟନୀୟ ଖାଦ୍ୟ ଓ ମରୁଡ଼ି ପରିଚାଳନା ଏବଂ ଦଶ ଲକ୍ଷ ଓଡ଼ିଆଙ୍କ ହତ୍ୟା ଆରୋପରୁ ମୁକୁକୁଳିବା ପାଇଁ ଇଂଲଣ୍ଡରୁ ଯନ୍ତ୍ରୀ ଆଣି ମହାନଦୀର ଯୋବ୍ରାଠାରେ ଆନିକଟ କରି ଜଳସେଚନ ପାଇଁ ତିଆରି କରେଇଲେ ତାଳଦଣ୍ଡା ଓ ପଟ୍ଟାମୁଣ୍ଡାଇ କେନାଲ l
ହୀରାକୁଦ ବନ୍ଧର ହେବାର ଅଶୀ ବର୍ଷ ପୂର୍ବରୁ ଆରମ୍ଭହୋଇଥିଲା ଖାଦ୍ୟ ପାଇଁ କାମ ଯୋଜନାରେ କେନାଲ l କଟକ ଜଗତସିଂହପୁର ମାଛଗାଁ ପାରାଦ୍ୱୀପ ପଟ୍ଟାମୁଣ୍ଡାଇ ବାଲିଚନ୍ଦ୍ରପୁର ଟାଙ୍ଗୀ ମଧ୍ୟରେ ଥିବା ଚାଷ ଜମିକୁ ଜଳସେଚନ ପାଇଁ ହେଲା କେନାଲ l ପରେ ଚିତ୍ରୋପ୍ତଳା ଓ ପାଇକାରେ ହେଲା ସାଇଫନ l ପାଣି ପାଇ ଚାଷ ବଢିଲା l ଗାଁ ହାଟରୁ ପରିବା ବୁହାହେଲା ସହରକୁ। ଓଡିଶାର ପାରିବା ଝୁଡି ବୋଲି ସାଲେପୁର ପାଗାକୁ କୁହାହେଲା। ଦେଶିମାଛ ପ୍ରଚୁର ମିଳିଲେ। ଇଂରେଜ ଅମଳର ପାଣି ବହିବା କ୍ଷମତାର ପ୍ଲାନ ଦେଖି କେନାଲରେ ତିଆରି କରିଦେଲେ କ୍ଷୁଦ୍ର ବିଦ୍ୟୁତ ପ୍ରକଳ୍ପ ବିରିବାଟି ଓ କେନ୍ଦୁପଟଣାରେ l ହେଲେ କେନାଲ ଓ ଯୋବ୍ରାଠାରେ ମହାନଦୀ ପୋତିହୋଇଯାଇଛି ସେକଥା ଯନ୍ତ୍ରୀଙ୍କ ଆଖିକୁ ଦେଖାଗଲାଣି l ଚକନାଲ ମରାମତି ହେଲାନି l କେନାଲ ହୋଇଗଲା ନର୍ଦ୍ଧମା l ବର୍ଷକୁ ଶହେଦିନ ବି ପାଣି ଗଲାନି l ଯନ୍ତ୍ରୀଙ୍କ ଉନ୍ନତ ମଗଜରେ ବୁଦ୍ଧି ଆସିଲା ଯେ କଟକରେ କେନାଲ ଭିତରେ ଢ଼ଳେଇ ପକେଇ, କେଇ କୋଟି ଖର୍ଚ୍ଚ କରି ରଙ୍ଗମାରି ବୋଟିଂ କରିବେ l ମଧ୍ୟବିତ୍ତ ଯାଇ ସେଲ୍ଫି ଉଠେଲେ ” I ❤️ CUTTACK ” ପାଖରେ। ସେପଟେ କେନାଲରେ ଶହ ଶହ ଟନ ପ୍ଲାଷ୍ଟିକ ଅଳିଆ, ଦଳ ଭର୍ତ୍ତି ହେଲା। ଚକ ନାଳ ଥରେ ବି ମରାମତି ହେଲାନି। ଜୁଲାଇ ମାସ ଶେଷକୁ ବି କଟକ ଠାରୁ ୧୫ -୨୦ କିମି ଦୂର ବିଲରେ ପାଣି ପହଞ୍ଚିପାରିଲାନି।
ପାଣି ଲିଟରକୁ ୨୦ ଟଙ୍କାରେ କିଣୁଥିବା ମଧ୍ୟବିତ୍ତଙ୍କୁ ପରିବା ମୂଲ୍ୟ କୁଆଡ଼େ ଖୁବ ବାଧିଲା। ମହାନଦୀ କୁ ପହଁରି ପାରିହେଉଥିବା ଓଡ଼ିଆର ନାତି ଅଣ ନାତିମାନେ ମାନେ ଗାଁ ମେଳାରେ ପଡ଼ିଥିବା କୁଣ୍ଡରେ ବୋଟିଂ କରି କୃତ୍ୟ କୃତ୍ୟ ହୋଇଗଲେ।
ଶେଷ ନିଶ୍ୱାସ ନେଉଛି ତାଳଦଣ୍ଡା।
ଆସ ଆମେ ସମସ୍ତେ ମିଶି ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ପଟ୍ଟାମୁଣ୍ଡାଇ ଓ ତାଳଦଣ୍ଡା କେନାଲ ମୁହଁରେ ଟିକେ ଗଙ୍ଗା ପାଣିଦେଇ ତାକୁ ଶେଷ ନିଦ୍ରାରେ ଶୋଇଦେବା। ପାଣି ତ ଘର ପାଖ ଦୋକାନରେ ବୋତଲ ରେ ମିଳୁଛି, କେନାଲ କଣ ଦରକାର !
ବନ୍ଧୁଘର, ଲଙ୍କାପଡା, ଜଗତସିଂହପୁର