ବାଲିଯାତ୍ରା ଓଡ଼ିଆ ଯୁବକ ଓ କିଶୋରଙ୍କ ପାଇଁ ହେଉ

ଚେତନା ର ଚଉହଦି ରୁ

ବାଇମୁଣ୍ଡି ର ବାରବାଟି କଟକ କୁ ନିରୀଖେଇ ଦେଖିଲେ ମହାନଦୀ ର ତରଙ୍ଗାୟିତ ଛାତି ଉପରେ ଇତିହାସ ର ଝରକା ରୁ ଝଲମଲ ଦିଶେ ବୋଇତ ବନ୍ଦାଣ ର ଦୃଶ୍ୟ । ସ୍ମୃତି ର ସଙ୍ଗୀତ ରେ ରହି ରହି ଶୁଭେ ସାଧବାଣୀ ର ଶଙ୍ଖ ହୁଳହୁଳି ର ଶବ୍ଦ ।ସେଇ ଅପଶୋରା ଅତୀତ କୁ ଆଜି ବି ବିପଣୀ ର ବାହୁ ବେଷ୍ଟନି ଭିତରେ ରହି ବଖାଣେ ବାଲିଯାତ୍ରା ପଡ଼ିଆ । ଦୁର୍ଭାଗ୍ୟ ଯେ ସମୁଦ୍ର ର ଶିଆର କାଟି ଯୋଉ ଓଡ଼ିଆ ବେପାର ବଣିଜ କରିବାକୁ ତେର ନଈ ସାତ ସମୁଦ୍ର ପାରି ହୋଇ ବିଦେଶ କୁ ଯାଉଥିଲା ଆଜି ଆଳୁ ଠାରୁ ଅଣ୍ଡା ଭଣ୍ଡା ମାଛ ବି ପ୍ରବାସ ରୁ ଆସୁଛି । ବାଲିଯାତ୍ରା ରେ ଅନ୍ୟ ରାଜ୍ୟ ରୁ ଆସୁଥିବା ଜିନିଷ ର ମେଳା ଲାଗିଛି ରାଜ୍ୟ ର ଉତ୍ପାଦିତ ସାମଗ୍ରୀ ର ଆଖି ଦୃଷୀୟ ସମ୍ଭାର ନାହିଁ କାହିଁକି । ଓଡ଼ିଆ ବାଲିଯାତ୍ରା ରେ ତା ଗରିମା ମୟ ବେପାର ବଣିଜ କୁ ଖୋଜୁ । ତା ନିଜ ହାତ୍ ତିଆରି ଭଳି କି ଭଳି ଦରବ ପୁଣି ବିଦେଶ କୁ ଯାଉ । ଖାଲି ଗତକାଲି ର ସ୍ମୃତି ରେ ବିଭୋର ନ ହୋଇ ଆସନ୍ତା କାଲି ର ସଂଭାବନା କୁ ସଜାଡି ଦେଉ ବାଲିଯାତ୍ରା ।

ସୁଧାଂଶୁ ମୋହନ ରାଉତ୍

ଓଡ଼ିଆ ପୁଅ ଦରିଆ ପାରି ହୋଇ ବିଦେଶରେ ବେପାର କରି ରାଜ୍ୟକୁ ଆଣୁଥିଲେ ଧନ ରତ୍ନ। ସେଇ ସାଧବ ପୁଅଙ୍କ ସ୍ମୃତିରେ ହେଉଥିବା ବାଲିଯାତ୍ରା କଟକ ଛଡା ରାଜ୍ୟର ବିଭିନ୍ନ ସ୍ଥାନରେ ଯାକଜମକରେ ପାଳନ ହୋଇ ପ୍ରାୟତଃ ଅଣଓଡ଼ିଆଙ୍କ ସାମଗ୍ରୀ ବିକ୍ରିବଟାର କେନ୍ଦ୍ର ହୋଇଛି। ପ୍ଲାଷ୍ଟିକ ବ୍ୟାନରରେ ସମ୍ବଲପୁରୀ ଶାଢ଼ୀ ଚିତ୍ର ପ୍ରିଣ୍ଟ କରି ସଜେଇବାରେ କୋଉ ଓଡ଼ିଶାର ମଙ୍ଗଳ ହେଉଛି କେଜାଣି ? ଦୋଳି ଠାରୁ ମାଛଧରା ଜାଲ ଯାଏ ସବୁ ଓଡିଶା ବାହାରୁ।

ଓଡ଼ିଆ ପୁଅଙ୍କ ବାଲିଯାତ୍ରା ହେଉ :

1) କଟକ ବାଲିଯାତ୍ରା ରୁ ଆରମ୍ଭ ହେଉ। ଅନ୍ୟୁନ ୫୦୦ ସ୍କୁଲ ଓ କଲେଜ ପିଲାଙ୍କୁ ବାଲିଯାତ୍ରା ରେ ବିଭିନ୍ନ ଓଡିଶା ଜାତ ସାମଗ୍ରୀ ବିକ୍ରି ପାଇଁ ନିୟୋଜିତ କରାଯାଉ। ସିଏ ଓଡ଼ିଶାର ହାତବୁଣା ଲୁଗାହେଉ କି ଓଡ଼ିଆ ବହି, ଓଡ଼ିଆ ଖାଦ୍ୟ ହେଉ କି କୋରାପୁଟ କଫି, କନ୍ଧମାଳ ହଳଦୀ ଇତ୍ୟାଦି । ଯେଉଁ ବାପ ମା ତାଙ୍କ ପିଲାଙ୍କୁ ଏଥିପାଇଁ ଅନୁମତି ଦେବେନି ତାଙ୍କୁ ବାଦ ଦିଆଯାଉ। ଏପରିକି ପରିବା ଦୋକାନଟିଏ ମଧ୍ୟ। ବ୍ୟବସାୟର ସିଧା ଅନୁଭବ ହେଉ।

୨) ଏହାକୁ ପରିଚାଳନା ପାଇଁ ଏକ ଟିମ ରହିବ। ପିଲାଙ୍କ ଅନୁଭବର ବିସ୍ଲେଷଣ ହେବ। ବିଭିନ୍ନ ସଫଳ ଓଡ଼ିଆ ଉଦ୍ୟୋଗୀ ଙ୍କ ସଂଘର୍ଷ କାହାଣୀ ଆଲୋଚିତ ହୁଅନ୍ତା।

୩) ପିଲାଙ୍କ ମଧ୍ୟରେ ଯିଏ ଅଧିକ ବିକ୍ରି କରିବେ ତାଙ୍କୁ ପୁରସ୍କୃତ କରାଯିବ।

୪) ନୂଆ ପ୍ରୟୋଗ ବା ବ୍ୟବସାୟ ପାଇଁ ପିଲାଙ୍କ ଠାରୁ କୌଶଳ ଆହ୍ୱାନ କରାଯାଆନ୍ତା।

୫) ବିହାର ରୁ ଆସିଥିବା କିଶୋର ଗୁପଚୁପ ଵାଲା ବା ବମ୍ବେଇ ଲଡ଼ୁ ବାଲାର ଉଦାହରଣ ଦେଇ କିପରି ଏହି ଛୋଟିଆ ବ୍ୟବସାୟ ଏକ ବଡ଼ ବ୍ୟବସାୟ ପାଇଁ ମୁଳୁଦୁଆ ପକାଏ ତାର ଚର୍ଚ୍ଚା ହେଉ।

ସିଗାରେଟ ଖାଇବା ପାଇଁ ଉନ୍ମାଦ ଯୋଗାଉ ଥିବା SMOKE ବିସ୍କୁଟ ବା ଦୋଳିରେ ବସି ଚିଲେଇବା ଭିତରେ ଓଡ଼ିଆ ଯୁବକ ବାଲିଯାତ୍ରା ନଖୋଜି, ସତସତିକା କେମିତି ଉଦ୍ୟୋଗୀଏ ହୋଇ ସାଧବ ପୁଅର ସ୍ମୃତି ପୁନର୍ଜୀବିତ କରିପାରିବ ଏଇଆ ହେଉ ସବୁ ବାଲିଯାତ୍ରା ଅଯୋଜକଙ୍କ ଉଦ୍ଦେଶ୍ୟ।

ଯୁବକ ଜାଣନ୍ତୁ ପ୍ରତି ବ୍ଲକରେ ଜଣେ ଜଣେ Industrial Promotion Officer, Fishery, Horticulture, Agriculture Officer ବି ଅଛନ୍ତି। କିଏ ସେ ଜିଲ୍ଲାର ନାବାର୍ଡ ଅଧିକାରୀ। ତାଙ୍କ ବ୍ଲକ ବା ଜିଲ୍ଲା କୋଉ କୋଉ ସାମଗ୍ରୀ ବାହାରୁ ଆମଦାନୀ କରେ।ଜାଣନ୍ତୁ ତାଙ୍କ ଜିଲ୍ଲାରେ ବି ଗୋଟିଏ ଲେଖାଏଁ RSETI (Rural self employment Training Institute ) ଅଛି। T ସାର୍ଟ, ଟୋପି ଓ ବ୍ୟାଗରେ ସୀମିତ ନ ରହୁ ସ୍କିଲ ଡେଭଲମେଣ୍ଟ।

ଓଡ଼ିଆ କିଶୋର ଓ ଯୁବକ ସାଧବ ପୁଅ ହେଉ

Leave A Reply

Your email address will not be published.